ODIA WRITINGS

ଅନ୍ତର୍ଯ୍ୟାମୀ
_____________________________________
କାଳିଆ ଠାକୁର ତୁମେ, ଏତେ କି ନିଷ୍ଠୁର ହେ
ମୋ ଡାକ କି ଶୁଭୁ ନାହିଁ,
ମୋ ଡାକ କି ଶୁଭୁ ନାହିଁ- ହେଲକି ବଧିର ହେ,
ଏକି ଅବିଚାର ସତେ,
ବନ୍ଧୁ ହେଇ ବନ୍ଧୁ ସାଥେ?
ମାଗିନି ତ ସୁନାଥାଳି, ପ୍ରଭୁ ଚକ୍ରଧର ହେ...
କାଳିଆ ଠାକୁର ତୁମେ, ଏତେ କି ନିଷ୍ଠୁର ହେ... ।
କି ଦୋଷ କରିଛି ଡୋରି ନ ଲାଗଇ ମୋର ହେ,
କାଳିଆ ଠାକୁର ତୁମେ, ଏତେ କି ନିଷ୍ଠୁର ହେ…।।
ରଖିବାକୁ ଗଜପ୍ରାଣ, ପେସିଥିଲ ଚକ୍ର ହେ
କୁରୁମଞ୍ଚେ ପାଞ୍ଚାଳିକୁ,
କୁରୁମଞ୍ଚେ ପାଞ୍ଚାଳିକୁ-ଦେଇଥିଲ ବସ୍ତ୍ର ହେ,
କୁହ ହେ ଦେବକୀ ସୂତ,
ମୋ ଲାଗି କିମ୍ପା କପଟ?
ନିର୍ଧନ ବୋଲିକି ମୋତେ ପାତର ଅନ୍ତର ହେ,
କାଳିଆ ଠାକୁର ତୁମେ, ଏତେ କି ନିଷ୍ଠୁର ହେ... ।
କି ଦୋଷ କରିଛି ଡୋରି ନ ଲାଗଇ ମୋର ହେ
କାଳିଆ ଠାକୁର ତୁମେ, ଏତେ କି ନିଷ୍ଠୁର ହେ... ।।
ଡାକିଡାକି ଥକିଗଲି, ନଶୁଣିଲ ମୋର ହେ,
ଅନ୍ତର୍ଯ୍ୟାମୀ ନାମ ବହି,
ଅନ୍ତର୍ଯ୍ୟାମୀ ନାମ ବହି- ନବୁଝ ଅନ୍ତର ହେ
କୁହହେ ରାଧା ରମଣ,
ଶୁଣୁଛକି ମୋ ଜଣାଣ?
ବଧିର ନହେଇ ବାରେ ଦୁଃଖ ଘେନା କର ହେ,
କାଳିଆ ଠାକୁର ତୁମେ, ଏତେ କି ନିଷ୍ଠୁର ହେ... ।
କି ଦୋଷ କରିଛି ଡୋରି ନ ଲାଗଇ ମୋର ହେ
କାଳିଆ ଠାକୁର ତୁମେ, ଏତେ କି ନିଷ୍ଠୁର ହେ... ।।
_____________________________________
© ଉମାଶଙ୍କର ସାହୁ


   ସପନ ରାଇଜ
____________________________________________
ଆସ ପ୍ରିୟା ଥରେ ଭ୍ରମଣ କରିବା ସପନ ରାଇଜ ଆକାଶେ,
ସପ୍ତରଙ୍ଗ ଯହିଁ ସେନେହର ଡୋରୀ ଇନ୍ଦ୍ରଧନୁ ପ୍ରାୟେ ଝଲସେ।
 ପ୍ରେମ କରି ଆମେ ଘୁରିବୁଲୁଥିବା ସପନର ରାଜପ୍ରାସାଦେ,
 ଆଖିରୁ ଲୋତକ ନଝରିବ ଆଉ ବିରହ କି’ଅବା ବିଶାଦେ।
 ସ୍ବପ୍ନସୁନ୍ଦରୀ ସପନ ମୁଲକେ ନୂଆ ପ୍ରେମଗାଥା ଲେଖିବା,
 ସପନରେ ହସ ସପନରେ ଲୁହ ସ୍ବପ୍ନ ଦୁନିଆରେ ବଞ୍ଚିବା।
 ନଥିବେ ବଇରି ନଥିବ ଯାତନା ଶୁଷ୍କତା ନଥିବ ପରାଣେ
ଅଶାନ୍ତ ସମାଜେ ସପନ ବାଣ୍ଟିବା ପ୍ରେମ ଭରି ଦେବା ଜୀବନେ।
_____________________________________________
                              © ଉମା ଶଙ୍କର ସାହୁ


ହିଂସା
__________________________________

ଧୁଃ ଧୁଃ ତାତି
ସାମ୍ପ୍ରଦାୟିକତାର,
ଲିଭିଯାଏ ମୈତ୍ରୀ,
ହୁ ହୁ ଜଳିଉଠେ ସହର।

ଖାଁ ଖାଁ ଗାଁ ରାସ୍ତା-
ଚାରିଆଡେ ହିଂସାର ଫଁ ଫଁ ଫୁତ୍କାର,
ଘରେ ଘରେ ବିଭୀଷିକା,
ମୁହେଁ ମୁହେଁ ଘୃଣା ଆଉ
କଣେ କଣେ ଅହିରାଜ
ଓଗାଳଇ ଜହର।

ଦେହେ ଦେହେ ରକ୍ତଛିଟା
ହାତେ ହାତେ ଖଂଡା କାତି
ପ୍ରାଣେ ପ୍ରାଣେ ଘୃଣା
ଗଗନେ ପବନେ ଶୁଭେ,
ଧର୍ଷିତାର ବୁକୁଫଟା ଚିତ୍କାର।

ଧୁଃ ଧୁଃ ତାତି ସାମ୍ପ୍ରଦାୟିକତାର,
ଲିଭିଯାଏ ମୈତ୍ରୀ,
ହୁ ହୁ ଜଳିଉଠେ ସହର।
_____________________________________
© ଉମାଶଂକର ସାହୁ

No comments: