Tuesday 16 May 2017

Odia Devotional -Antaryaamii (ଅନ୍ତର୍ଯ୍ୟାମୀ )

ଅନ୍ତର୍ଯ୍ୟାମୀ
_____________________________________

କାଳିଆ ଠାକୁର ତୁମେ, ଏତେ କି ନିଷ୍ଠୁର ହେ
ମୋ ଡାକ କି ଶୁଭୁ ନାହିଁ,
ମୋ ଡାକ କି ଶୁଭୁ ନାହିଁ- ହେଲକି ବଧିର ହେ,
ଏକି ଅବିଚାର ସତେ,
ବନ୍ଧୁ ହେଇ ବନ୍ଧୁ ସାଥେ?
ମାଗିନି ତ ସୁନାଥାଳି, ପ୍ରଭୁ ଚକ୍ରଧର ହେ...
କାଳିଆ ଠାକୁର ତୁମେ, ଏତେ କି ନିଷ୍ଠୁର ହେ... ।
କି ଦୋଷ କରିଛି ଡୋରି ନ ଲାଗଇ ମୋର ହେ,
କାଳିଆ ଠାକୁର ତୁମେ, ଏତେ କି ନିଷ୍ଠୁର ହେ…।।

ରଖିବାକୁ ଗଜପ୍ରାଣ, ପେସିଥିଲ ଚକ୍ର ହେ
କୁରୁମଞ୍ଚେ ପାଞ୍ଚାଳିକୁ,
କୁରୁମଞ୍ଚେ ପାଞ୍ଚାଳିକୁ-ଦେଇଥିଲ ବସ୍ତ୍ର ହେ,
କୁହ ହେ ଦେବକୀ ସୂତ,
ମୋ ଲାଗି କିମ୍ପା କପଟ?
ନିର୍ଧନ ବୋଲିକି ମୋତେ ପାତର ଅନ୍ତର ହେ,
କାଳିଆ ଠାକୁର ତୁମେ, ଏତେ କି ନିଷ୍ଠୁର ହେ... ।
କି ଦୋଷ କରିଛି ଡୋରି ନ ଲାଗଇ ମୋର ହେ
କାଳିଆ ଠାକୁର ତୁମେ, ଏତେ କି ନିଷ୍ଠୁର ହେ... ।।

ଡାକିଡାକି ଥକିଗଲି, ନଶୁଣିଲ ମୋର ହେ,
ଅନ୍ତର୍ଯ୍ୟାମୀ ନାମ ବହି,
ଅନ୍ତର୍ଯ୍ୟାମୀ ନାମ ବହି- ନବୁଝ ଅନ୍ତର ହେ
କୁହହେ ରାଧା ରମଣ,
ଶୁଣୁଛକି ମୋ ଜଣାଣ?
ବଧିର ନହେଇ ବାରେ ଦୁଃଖ ଘେନା କର ହେ,
କାଳିଆ ଠାକୁର ତୁମେ, ଏତେ କି ନିଷ୍ଠୁର ହେ... ।
କି ଦୋଷ କରିଛି ଡୋରି ନ ଲାଗଇ ମୋର ହେ
କାଳିଆ ଠାକୁର ତୁମେ, ଏତେ କି ନିଷ୍ଠୁର ହେ... ।।

_____________________________________
© ଉମାଶଙ୍କର ସାହୁ

No comments: